Unknown

ନୀତିପରାଗ

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

ଉତ୍ସର୍ଗପତ୍ର

ଚୌହାନକୁଳଭୂଷଣ ପରମମାନ୍ୟବର, ପ୍ରଜାବତ୍ସଳ, ସହୃଦୟଶେଖର ଖଡ଼ିଆଳୟ-ଅଧୀଶ୍ୱର ଶ୍ରୀଯୁକ୍ତ ରାଜା ବ୍ରଜରାଜ ସିଂହ ଦେବ ।

 

ମହୋଦୟ                                                      କରକମଳେଷୁ

ବିନୟ ପୁରଃସର ନିବେଦନମିଦଂ

 

ଶ୍ରୀମନ୍ତରପତେ ! ଶ୍ରୀ ଛାମୁ ମଧ୍ୟପ୍ରଦେଶର ନରପତି ହୋଇ ମଧ୍ୟ ଉତ୍କଳଦେଶରେ ଦ୍ୱିତୀୟ ଉପେନ୍ଦ୍ରରୂପେ ସୁପରିଚିତ । ସଂହିତାକାର କହି ଯାଇଅଛନ୍ତି ,-

‘‘ଦୁଷ୍ଟସ୍ୟ ଦଣ୍ଡଃ, ସୁଜନସ୍ୟ ପୂଜା,

ନ୍ୟାୟେନ କୋଷସ୍ୟ ଚ ସଂପ୍ରବୃଦ୍ଧିଃ,

ଅପକ୍ଷପାତୋଽର୍ଥିଷୁ ରାଷ୍ଟ୍ରରକ୍ଷାଃ,

ପଞ୍ଚୈବ ଯଜ୍ଞାଃ କଥିତା ନୃପାଣାଂ ।’’

 

ଦୁଷ୍ଟ ଦମନ, ଶିଷ୍ଟ ପାଳନଂ, ନ୍ୟାୟାନୁସାରେ ଧନ ସଞ୍ଚୟ, ବିଚାରାର୍ଥିମାନଙ୍କ ପ୍ରତି ଅପକ୍ଷପାତତା ଏବଂ ସର୍ବତୋଭାବରେ ରାଜ୍ୟ ରକ୍ଷାକରିବା, ଏହି ପାଞ୍ଚଟି ରାଜାମାନଙ୍କର ଯଜ୍ଞ ବୋଲି କଥିତ ହୁଏ । ସୁଖର ବିଷୟ, ଶ୍ରୀଛାମୁ ଏହି ପଥଯଜ୍ଞର ଜଣେ ଦେଶବିଖ୍ୟାତ ଯାଜକ । ଅତୀତ ଦୁର୍ଭିକ୍ଷ କାଳମାନଙ୍କରେ ଶ୍ରୀଛାମୁ ଅଶ୍ରାନ୍ତ ପରିଶ୍ରମ ଏବଂ ଅକାତରରେ ଅଜସ୍ରବ୍ୟୟ ସ୍ୱୀକାର କରି ଯେଉଁ ସୁବର୍ଣ୍ଣମୟୀ କୀର୍ତ୍ତି ଲାଭ କରିଅଛନ୍ତି, ଭାରତର ରାଜରାଜେଶ୍ୱରୀ ଭିକ୍ଟୋରିୟା ଦେବୀଙ୍କଦ୍ୱାରା ସମ୍ମାନରେ ପ୍ରଦତ୍ତ କୈଶର-ଇ-ହିନ୍ଦ ସ୍ୱର୍ଣ୍ଣପଦକ ତହିଁର ସୁନ୍ଦର ନିଦର୍ଶନ ସ୍ଥଳ । ସହୃଦୟତା ଏବଂ ପ୍ରଜାବତ୍ସଳତାର ଏପରି ନିଦର୍ଶନ ବୃତ୍ତୀଶ୍ୱର ବହୁଳ, ଦାରିଦ୍ର୍ୟ ନିପୀଡ଼ିତ ଉତ୍ତଳରେ ଅତି ବିରଳ । ଏହି କାରଣରୁ, ବିଶେଷତଃ ଶ୍ରୀଛାମୁ ମୋ ପ୍ରତି ଏବଂ ମୋହର ସମ୍ପାଦିତ ‘‘ଉତ୍କଳ ମଧୂପ’’ ପ୍ରତି ଆଶାତୀତ ଆନୁକୂଲ୍ୟ ପ୍ରକାଶ କରିଥିବାରୁ ଶ୍ରୀଛାମୁଙ୍କ ପ୍ରତି ମୋହର ଆନ୍ତରିକ ଭକ୍ତି-ପ୍ରୀତିର ସଞ୍ଚାର ହୋଇଅଛି । ବର୍ତ୍ତମାନ ସେହି ଭକ୍ତି-ପ୍ରୀତି ଏବଂ କୃତଜ୍ଞତାର ନିଦର୍ଶନ ସ୍ୱରୂପ ଏହି ‘‘ନୀତିପରାଗ’’ ପୁସ୍ତକ ଖଣ୍ଡି ଶ୍ରୀଛାମୁଙ୍କ ବିମଳ କରକମଳରେ ଉପହାର ପ୍ରଦାନ କରୁଅଛି । ଆଶା କରେ ଶ୍ରୀଛାମୁଙ୍କ ତୁଲ୍ୟ ଗୁଣଗ୍ରାହୀ, ନୀତିକୁଶଳ ନରପତିଙ୍କ ନିକଟରେ, ଏ ପୁସ୍ତକ ଖଣ୍ଡି କ୍ଷୁଦ୍ର ହୋଇ ମଧ୍ୟ ମୂଲ୍ୟବାନ୍‌ ବିବେଚିତ ହେବ । ନିବେଦନମିତି । ୧୫/୦୬/୧୯୦୧ଖ୍ରୀଃ

ଶ୍ରୀ ଛାମୁଙ୍କ ଅନୁଗୃହୀତ

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

(ପ୍ରଥମ ଭାଗ)

ସାହସ, ଉତ୍ସାହ, ଆୟୁ, ଆନନ୍ଦ ନିର୍ମଳ,

ବଳ, ବୁଦ୍ଧି ଏ ସମସ୍ତ ସୁଚିନ୍ତାର ଫଳ ।

 

ପାଷାଣେ ଶସ୍ୟ ବପନ ନିଷ୍ଫଳ ଯେସନ,

ଦୁଶ୍ଚିନ୍ତାରେ କାଳକ୍ଷୟ ବିଫଳ ତେସନ ।

 

ଦୁଶ୍ଚିନ୍ତା, କୁଚିନ୍ତା ଦୁଇ ଯମଜଭଗିନୀ,

ପାପ ଆଉ ନରକର ପଥପ୍ରଦର୍ଶିନୀ ।

 

କିହେତୁ ମଳିନମୁଖ, ଉତ୍ସାହ ବିହୀନ,

ନ ରହିବ ଦୁଃଖ ନିଶା ଆସୁଅଛି ଦିନ ।

 

ରାତ୍ର ବିନା ଦିନ, ବିନା ଶ୍ରମେ ପୁରସ୍କାର,

ଦୁଃଖ ବିନା ସୁଖ ନୁହେ, ଇଚ୍ଛା ବିଧାତାର ।

 

ଦିନେ ମାତ୍ର ହସେ ନାହିଁ, କାନ୍ଦେ ନିରନ୍ତରେ,

ନ ଜନ୍ମେ ଏପରି କେହି ମାନବର ଘରେ ।

 

ଆପଣାର ଅବସ୍ଥାରେ ଅସୁଖୀ ଯେ ଜନ,

ଧନେ ଜନେ କେବେ ତାର ନ ଘୁଞ୍ଚେ ରୋଦନ ।

 

ରୋଗର ଔଷଧ ଅଛି ବାହାରେ ବିସ୍ତର,

ଅଶାନ୍ତିର ପ୍ରତୀକାର ହୃଦ ଅଭ୍ୟନ୍ତର ।

 

ନିର୍ଝରିଣୀ ଅବିରତ କରେ ଜଳ ଦାନ,

ନ ଦେଖେ ସାଧୁ ଅସାଧୁ କିଏ କଲା ପାନ ।

 

ହୀରକ ସଙ୍ଗତେ କାଚ ଥିଲେହେଁ ଜଡ଼ିତ,

କାଚପ୍ରତି କେହି କେବେ ହୁଏ କି ଲୋଭିତ ?

 

ଆପଣାର ହିତେ ନାହିଁ ଯାର ପ୍ରାଣୀଧାନ,

ସହାୟ ସମ୍ପଦେ ତାର କି ହେବ କଲ୍ୟାଣ ?

 

କାର୍ଯ୍ୟ କରି ଫଳଲାଭେ ଧୈର୍ଯ୍ୟ ନାହିଁ ଯାର,

ଯେତେ କିଛି ଅନୁଷ୍ଠାନ ବିଡ଼ମ୍ବନା ତାର ।

 

ମରିଚ, ବାର୍ତ୍ତାକୀ ଫଳେ ମାସ ଦୁଇପରେ,

ତାଳ ନାରିକେଳ ଫଳେ ଯୁଗ ଯୁଗାନ୍ତରେ ।

 

ଅନୁଷ୍ଠାନ ଅନୁରୂପେ ଫଳେ ସିନା ଫଳ;

ରୋପିଲେ ତେନ୍ତୁଳୀତରୁ ଫଳେ କି ଶ୍ରୀଫଳ ?

 

ମଣି ମୁକ୍ତା ଚିହ୍ନିବାର ଜହୁରି ସୁଲଭ,

ମହାଜନ ଚିହ୍ନିବାର ଜହୁରି ଦୁର୍ଲ୍ଲଭ ।

 

ହୁଏତ ଚରଣେ ଆଜି ଦଳୁଅଛ ଯାରେ,

ସେବିବ ତାହାରି ପଦ ଦିନ ଦୁଇ ପରେ ।

 

ନିଜ ବୋଝ ବୋହିଥାନ୍ତି ନରେ ନିରନ୍ତର,

ବହନେ ପରର ସୂଚୀ ଗାତ୍ରେ ଆସେ ଜ୍ୱର ।

 

ଯଦି ବଢ଼େ ଧନ, ମାନ, ନାମର ପସାର,

ହେବାକୁ ସ୍ୱଦେଶପ୍ରେମୀ ଆପତ୍ତି କାହାର ?

 

ଦେଇଅଛ କେତେ ବଳି ଯଶର ଚରଣେ,

ଏ କିନ୍ତୁ ଛାୟାର ପୂଜା ଏହା ରଖ ମନେ ।

 

ସହସ୍ର ଧାତ୍ରୀର ସେବା ହୁଏ ଯଦି ଲାଭ,

ତଥାପି ନ ଘୁଞ୍ଚେ କିନ୍ତୁ ମାତାର ଅଭାବ ।

 

କୃତଜ୍ଞତା ହୃଦୟର ଅଳଙ୍କାର ଯାର,

ନୀଚତା ବୋଲିଣ ଭୟ ନ ଥାଏ ତାହାର ।

 

ଅନକରେ ଦଗ୍ଧ ହୁଏ ଯଦ୍ୟପି ତନ୍ଦନ,

ତଥାପି ସୁଗନ୍ଧ ତାର କରେ ବିତରଣ ।

 

ପ୍ରତ୍ୟେକ ନିଶ୍ୱାସେ ପାଉଁ ମୃତ୍ୟୁର ଖବର,

ଶୁଣି ନ ଶୁଣଇ ତାହା, ମାନବ-ପାମର ।

 

ପାଶେ ପାଇ କରୁଅଛ ଯାର ଅନାଦର,

ଦେବଜ୍ଞାନେ ସ୍ଥାନାନ୍ତରେ ପୂଜିତ ସେ ନର ।

 

ହାତୀ ଘୋଡ଼ା ରାଜ୍ୟ ଧନ ସମସ୍ତ ନଶ୍ୱର,

ଅକ୍ଷର ସମ୍ବନ୍ଧ କୀର୍ତ୍ତି ଏକା ସ୍ଥିରତର ।

 

ହୁଅ ପଛେ ମହଜ୍ଜନ ପ୍ରସାଦଭାଜନ,

ନିଜର କ୍ଷୁଦ୍ରତା କିନ୍ତୁ ରଖିବ ସ୍ମରଣ ।

 

କ୍ଷୁଦୁ ଯଦି ବଡ଼ ହୋଇ ପାଏ ଅଧିକାର,

ସ୍ୱଭାବ ଡାକି ଆଣଇ କ୍ଷୁଦ୍ରତା ତାହାର ।

 

ସ୍ୱର୍ଣ୍ଣର ପରୀକ୍ଷା ହୁଏ ଅନଳେ ପାଷାଣେ,

ନରର ପରୀକ୍ଷା ହୁଏ ବିପଦର ଦିନେ ।

 

ମୃଣ୍ଣୟ ବାସନ ଥିଲେ ରାଜସଦନରେ,

ହରିଣୟ ପାତ୍ର ଭ୍ରମ ଜନ୍ମାଏ ମନରେ ।

 

ଛାଡ଼ି ଜପ, ତପ, ମାଳା, ଉପାସ, ଅର୍ଚ୍ଚନା,

ପ୍ରାଣପଣେ ଦୂର କର ହୃଦ-ଆବର୍ଜନା ।

 

ଏହି ରକ୍ତ, ଏହି ମାଂସ, ଏହି ଅସ୍ଥିମୟ,

ଗ୍ରାସିଅଛି କେତେ ଦେହ ଶମନ ନିର୍ଦ୍ଦୟ ।

 

ତୈଳସହ ମିଶେ ତୈଳ, ଜଳେ ମିଶେ ଜଳ,

ସାଧୁସହ ମିଶେ ସାଧୁ, ଖଳସହ ଖଳ ।

 

ଯୁକ୍ତି ଅନୁସାରେ ତର୍ଜ କରିବ ସଜ୍ଜନ,

ଦ୍ୱେଷ, ଈର୍ଷା, ତିରସ୍କାର କରି ବିସର୍ଜନ ।

 

ସଂଯତ ହୋଇଣ କର ସ୍ୱକୀୟ ଶାସନ,

ସହଜେ ଶାସିତ ହେବେ ତେବେ ସର୍ବଜନ ।

 

ବୁଦ୍ଧିର ଉତ୍କର୍ଷ ଲାଭେ ଥାଏ ଯଦି ମନ,

ନିପୁଣ ଚିନ୍ତାର ସଙ୍ଗେ କର ଅଧ୍ୟୟନ ।

 

ମାତା ଯଦି ପୁତ୍ରେ କରେ କଠୋର ପ୍ରହାର,

ତଥାପି ସେ କାନ୍ଦି ଧରେ ଅଞ୍ଚଳ ମାତାର ।

 

କାଲି ଥିଲା ଅଭିଳାଷ ହେବାକୁ ଅମର,

ଆଜି ଦେଖ ଆତ୍ମହତ୍ୟା ସାଧନେ ତତ୍ପର ।

 

ଧର୍ମ୍ମହିଁ ଧର୍ମ୍ମର ବଳ ସୁଖ ଶାନ୍ତି ଦ୍ୱାର,

ସାଧୁତାହିଁ ସାଧୁତାର ପୂର୍ଣ୍ଣ ପୁରସ୍କାର ।

 

ପ୍ରତିବାସୀ ପ୍ରତି କରେ ଯେ ଜନ ବଞ୍ଚନା,

ଅଜ୍ଞାତେ ସେ କରେ ସିନା ଆତ୍ମପ୍ରତାରଣା ।

 

ଈଶ୍ୱର ମହିମା ଚିନ୍ତା କରିବ ଯେତିକି,

ନିଜର କ୍ଷୁଦ୍ରତା ବୋଧ ଜନ୍ମିବ ତେତିକି ।

 

କୁପ୍ରଥା ଅନୁମୋଦନ କରଇ ଯେ ଜନ,

ପରିଣାମେ ହୁଏ ତାର ଚରିତ୍ର ସ୍ଖଳନ ।

 

ସ୍ୱଭାବରେ ଜୀର୍ଣ୍ଣ ପୁଣି ଘୋର ପ୍ରଭଞ୍ଜନ,

ଠେସ ଦେଇ କେତେକାଳ ରଖିବ ସଦନ ।

 

ଧରାର ମାନବ ଯଦି ହୁଅନ୍ତା ଅମର,

ଜଳନ୍ତା ଯାତନାନଳେ ତେବେ ନିରନ୍ତର ।

 

ବିନ୍ଦୁ ବିନ୍ଦୁ ଜଳଯୋଗେ ଅସୀମ ସାଗର,

ପଳ ଅନୁପଳ ମିଶି କଳ୍ପ କଳ୍ପାନ୍ତର ।

 

ମହତ ଉଦ୍ଦେଶ୍ୟେ ଯେହୁ ଆତ୍ମା କରେ ବଶ,

ତାହାର ହୃଦୟେ ଅଛି ପ୍ରକୃତ ସାହସ ।

 

ସନ୍ତୋଷର କୁଟୀରରେ ଯେତେ ସୁଖ ମିଳେ,

ଦୁଶ୍ଚିନ୍ତାର ତେତେ ସୁଖ ନୁହେଁ ହର୍ମ୍ମ୍ୟ ତଳେ ।

 

ନିଷ୍ପାପ ଥାଇ ପଛକେ କଷ୍ଟେ କାଳ ହର,

କଷ୍ଟ ପରିହାର ପାଇଁ କୁକାର୍ଯ୍ୟ ନ କର ।

 

କେହି କେବେ ପାରି ନାହିଁ ଯାକୁ ରଖିବାରେ,

ନିର୍ବୋଧର ଯତ୍ନ ସେହି ନଶ୍ୱର ଶରୀରେ ।

 

କ୍ଷୁଦ୍ର ତୁମ୍ଭେ, ଆସିଅଛ ଅଦା କାରବାରେ,

କି କାର୍ଯ୍ୟ ତୁମ୍ଭର, କହ, ସୁବର୍ଣ୍ଣର ଦରେ ।

 

ଦରିଦ୍ରର ନାହିଁ ଧନ ଅଛି ତ ଜୀବନ,

ଦେଶହିତ ଯଜ୍ଞାହୁତି କି ଅଛି ଏସନ ?

 

ବିବେକ ସତତ ଯାର ଥାଏ ପରିସ୍କାର,

ମନରେ ପ୍ରକୃତ ଶାନ୍ତି ସମ୍ଭବେ ତାହାର ।

 

ଯେ ଜନ ସହଜେ କରେ ବିଶ୍ୱାସ ଅପରେ,

ପଡ଼ିଣ ଧୂର୍ତ୍ତର ଜାଲେ ସେହି ଜନ ମରେ ।

 

ବିଳମ୍ବରେ କରେ ପଛେ କାର୍ଯ୍ୟ ସମ୍ପାଦନ,

ତଥାପି ଆରବ୍ଧ ତ୍ୟାଗ ନ କରେ ସଜ୍ଜନ ।

 

ଅତୀତ ଭ୍ରମ ପ୍ରମାଦ ନୋହି ବିସ୍ମରଣ,

ଭବିଷ୍ୟତେ ନିରାପଦ ରଖିବ ଜୀବନ ।

 

ବେଳ ଥାଉ ଥାଉ ଯଦି କର ପ୍ରତୀକାର,

ଭୀଷଣ ବିପଦେ କେବେ ନୋହିବ କାତର ।

 

ପରକୃତ ଅପରାଧ କରି ବିସ୍ମରଣ,

ନିଜ ମହତ୍ୱ ପ୍ରକାଶ କର ଅନୁକ୍ଷଣ ।

 

ଯେତିକି ଉନ୍ନତ ହୁଏ ଚରିତ୍ର ଯାହାର,

ଦୟାର୍ଦ୍ର କୋମଳ ପ୍ରାଣ ତେତିକି ତାହର ।

 

ଧୀରଭାବେ କର କାର୍ଯ୍ୟ ହୋଇ ଅଚଞ୍ଚଳ,

ବପନ ମାତ୍ରକେ ବୀଜ ଧରଇ କି ଫଳ ?

 

କମ୍ମିବୀର ବାକ୍ୟବ୍ୟୟେ ନ ପାଏ ସମୟ,

ବାକ୍ୟବୀର ବାକ୍ୟ ବ୍ୟୟେ କରେ କାଳ କ୍ଷୟ ।

 

ଦାନେ, ତପେ, ଶୌର୍ଯ୍ୟେ ଯାର ନ ଘୋଷଇ ମାନ,

ସେ ପୁତ୍ର, ମାତାର ମଳ ମୂତ୍ରର ସମାନ ।

 

ପୁଞ୍ଜ ପୁଞ୍ଜ ତାରା ଦେଖ ନ ହରେ ଅନ୍ଧାର,

ଏକଚନ୍ଦ୍ର ଆଲୋକିତ କରଇ ସଂସାର ।

 

ଦୁର୍ଜ୍ଜନ ଯଦ୍ୟପି କହେ ସୁମିଷ୍ଟ ବଚନ,

ତଥାପି ତା ବାକ୍ୟେ ନ ଭୁଲିବ କଦାଚନ ।

 

ଅର୍ଥନାଶ, ମନସ୍ତାପ, ଗୃହର ଦୂଷଣ,

ପ୍ରତାରଣା, ମାନହାନି କରିବ ଗୋପନ ।

 

ସାର୍ଥକ ତାହାରି ବିଦ୍ୟା ତାହାରି ସାଧନା,

ସମ୍ମୁଖେ ବୈରାଗ୍ୟ ଯାର ପଶ୍ଚାତେ କାମନା ।

 

ନିଜର ମରଣ ଦୁଃଖ କରି ଅନୁମାନ,

ସେହି ଅନୁମାନେ ରକ୍ଷା କର ପର ପ୍ରାଣ ।

 

ଜ୍ଞାନୋଚିତ ଅନୁଷ୍ଠାନେ ଅଶକ୍ତ ଯେ ଜନ,

ସେ ଜ୍ଞାନ ଥିବାରେ କହ କେଉଁ ପ୍ରୟୋଜନ ?

 

ଦାନ, ଭୋଗ, ନ କରିଣ ଯେ କରେ ସଞ୍ଚୟ,

ଚିନିବୁହା ବଳଦ ସେ ଜାଣିବ ନିଶ୍ଚୟ ।

 

ସମସ୍ତଙ୍କ ସୁଖ ଦୁଃଖ ଦେଖ ଏ ସଂସାରେ,

ଘୁରୁଅଛି ଅବିରତ ଚକ୍ରର ଆକାରେ ।

 

ଯେବେ ହରାଇବ ତୁମ୍ଭେ ସାଧୁ ସହବାସ,

ଜାଣିବ ନିଶ୍ଚୟ କଲ ନରକେ ନିବାସ ।

 

ସଫଳ ଜୀବନ ତାର ଯେ ଜନ ସ୍ୱାଧୀନ,

ପରାଧୀନେ ବଞ୍ଚିଥିବା ମରଣ ସମାନ ।

 

ଯଥାକାଳେ ଯେ ନ କରେ ସେବକ ପାଳନ,

ନୁହଇ ସେ ଜନ ଭୃତ୍ୟସେବାର ଭାଜନ ।

 

ଗୁଳ୍ମ ତେଜି, ବାତ୍ୟା, ବୃକ୍ଷ କରଇ ବିନାଶ,

ବଡ଼ କରେ ବଡ଼ ପାଖେ ବିକ୍ରମ ପ୍ରକାଶ ।

 

ଅନେକ ମର୍ଦ୍ଦନ କଲେ ଦେଇ ତୈଳ ଜଳ,

କୁକ୍କୁରର ପୁଚ୍ଛ କେବେ ହୁଏ କି ସରଳ ?

 

ପାଳନେ, ସମ୍ମାନେ ଦୁଷ୍ଟ ନ ହୁଅଇ ଖଳ,

ବିଷବୃକ୍ଷେ ସୁଧା ସେକେ ଫଳେ କି ଶ୍ରୀଫଳ ?

 

ଯେ କରେ ଅନିତ୍ୟ ଦେହ ପରହିତେ ଦାନ,

ସାର୍ଥକ ଜୀବନ ତାର ସେହି ପୁଣ୍ୟବାନ ।

 

ନ କହେ ଯେ ଜନ କେବେ ନିସ୍ତେଜ ବଚନ,

ଭୁବନେ ତାହାରି ଧନ୍ୟ ଜାଣିବ ଜୀବନ ।

 

ସାଗରେ, ସରିତେ ଯେତେ ଲୋକ ନିମଗନ,

ମଦିରାରେ ମଗ୍ନସଂଖ୍ୟା ତାର ଶତଗୁଣ ।

 

ପାପ ଅନୁଷ୍ଠାନେ ବାଧା ନ ଦିଏ ଯେ ଜନ,

ଅଲକ୍ଷରେ କରେ ସେହି ପାପାଂଶ ଗ୍ରହଣ ।

 

ଜୀବନ ନିଯୁକ୍ତ ଯାର ପରାର୍ଥେ କେବଳ,

ସାଧେ ସେ ଅଜ୍ଞାତସାରେ ଆପଣା ମଙ୍ଗଳ,

 

ଶୁଣୁଛ ନିଜର ଯେଉଁ ପ୍ରଶଂସାର ଗାନ,

ସତ୍ୟ ମିଥ୍ୟା ସାକ୍ଷୀ ତାର ଆପଣାର ପ୍ରାଣ ।

 

ଛୋଟ ହୋଇ କ୍ରମେ ବଡ଼, ଏହାହିଁ ନିୟମ,

ଏକାବେଳେ ଲମ୍ଫଦାନ ନୁହେ ତାର କ୍ରମ ।

 

ପତ୍ର ଅନ୍ତରାଳେ ଲୁଚି ଥାଆନ୍ତି ସୁମନ,

ମଧୁପ ତଥାପି ତାକୁ କରେ ଅନ୍ୱେଷଣ ।

 

କ୍ଷମା କର, ସହ୍ୟ କର, ପାର ଯେତେ କର,

ଏହାହିଁତ ମାନବୀୟ ବିଜ୍ଞାନର ସାର ।

 

ଅଜ୍ଞାନ ଥାଇ ପଛକେ କଟାଇବ କାଳ,

ତଥାପି କରିବ ତ୍ୟାଗ କୁଶିକ୍ଷା-ଜଞ୍ଜାଳ ।

 

ଶିଶୁର ସାରଲ୍ୟ ଆଉ ଉତ୍ସାହ ଯୁବାର,

ବାର୍ଦ୍ଧକ୍ୟରେ ରହେ ଯାର ଦେବତ୍ୱ ତାହାର ।

 

କଥାରେ କାର୍ଯ୍ୟରେ କେବେ ମେଳ ନାହିଁ ଯାର,

ସେ ଯଦି ମନୁଷ୍ୟ, କହ, ଜନ୍ତୁ କି ପ୍ରକାର ?

 

ସତୀର ସୁଖ୍ୟାତି ଶୁଣି ସେ ହୁଏ କାତର,

ଅସତୀ ଅଖ୍ୟାତି ଖ୍ୟାତ ଯାର ନିରନ୍ତର ।

 

ବୁଡ଼ି ମରୁଅଛ ବୋଲି ବୃଥା କର ରୋଷ,

ସନ୍ତରି ନ ଜାଣ ନିଜେ ଜଳର କି ଦୋଷ ?

 

କୁତ୍ସିତ ସାହିତ୍ୟ ସେବା କରେ ଯେଉଁ ଜନ,

ଅନ୍ତରେ ଉଚ୍ଛୁଳେ ତାର ପାପ-ପ୍ରସ୍ରବଣ ।

 

କାହାରି ଜୀବନେ ନାହିଁ ଏପରି ନିମେଷ,

ଯାର ଅପଚୟେ କ୍ଷତି ନ ହୁଏ ଅଶେଷ ।

 

ସର୍ବେ ଶ୍ରମଶୀଳ ହେଲେ ଶକ୍ତି ଅନୁସାରେ,

ନ ରହିବ ଦୁଃଖ ଲେଶ ଏ ବିଶ୍ୱ ସଂସାରେ ।

 

ତମ୍ବା କଂସା ଓଜନରେ କେ ନୁହେ ପଣ୍ଡିତ ?

କଥାର ଓଜନ କେହି ବୁଝେ କଦାଚିତ ।

 

ଯଶସ୍ୱୀର ଯଶ ହେରି ଈର୍ଷା ହୁଏ ତାର,

ନିୟତ ସମାଜ ଘୋଷେ ଅପଯଶ ଯାର ।

 

ସମାପ୍ତ ।